ନବରଙ୍ଗପୁର (ସୁରେଶ ନାଇଡୁ):ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡାରୁ ଅଂଚଳଗୁମ୍ମା, ପାତ୍ରପୁଟ, ଝରିଗାଁ, ଉସିଗାଁ ସହ ପାପଡ଼ାହାଣ୍ଡି ବ୍ଳକ ସେମଳା ଛକ ପର୍ଯ୍ୟନ୍ତ ୨୮କିଲୋମିଟର ମୁଖ୍ୟରାସ୍ତା ଶୋଚନୀୟ ହୋଇପଡିଛି। ରାସ୍ତାସାରା ବଡ଼ବଡ଼ ଖାଲଖମା ହୋଇଥିବା ବେଳେ ପାଣି ଜମି କୃତ୍ରିମ ପୋଖରୀ ଭଳି ଦୃଶ୍ୟମାନ ହେଉଛି। ରାସ୍ତା ଏକପ୍ରକାର ମରଣଯନ୍ତା ପାଲଟି ଯାଇଛି। ଏହି ରାସ୍ତାର ତୁରନ୍ତ ପ୍ରଶସ୍ତିକରଣ କରିବା ପାଇଁ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ବିଧାୟକରେ ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ରାସ୍ତାଟି ଜିଲ୍ଲାର ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ସହ ପାପଡାହାଣ୍ଡି ବ୍ଲକକୁ ସଂଯୋଗ କରୁଛି। ରାସ୍ତା ଦେଇ କଳାହାଣ୍ଡିରୁ ବି ଯିବା ଆସିବା ପୂର୍ବରୁ କରାଯାଉଥିଲା। ଛୋଟବଡ଼ ଗାଡ଼ି ସମେତ ବେସରକାରୀ ଯାତ୍ରୀବାହୀ ବସ୍ ତେନ୍ତୁଳିଖୁଣ୍ଟି ଠାରୁ ମୈଦଲପୁର ଦେଇ ଉମରକୋଟ ଯାଉଛି। ସେମଳା ଛକଠାରୁ ଠାରୁ ପୂଜାରୀଗୁଡା ସମ୍ପର୍ଣ୍ଣ ୨୮କିମି ଦୂର ହୋଇଥିବା ବେଳେ ରାସ୍ତା ଖାଲଖମାରେ ଭତ୍ତ ହୋଇଯାଇଛି। ରାସ୍ତାଦେଇ ଛାତ୍ରଛାତ୍ରୀ ସ୍କୁଲ, କଲେଜ, ନବରଙ୍ଗପୁର ଡିଏଚଏଚ, କୋର୍ଟକୁ ଯିବାଆସିବା କରୁଛନ୍ତି। ରାସ୍ତା ଅଞ୍ଚଳବାସୀଙ୍କ ଭରସା ହୋଇଥିବା ବେଳେ ସାମାନ୍ୟ ବର୍ଷା ହେଲେ ଏଠାରେ ପୋଖରୀ ଭଳି ପାଣି ଜମୁଛି। ସାତ ବର୍ଷ ତଳେ ରାସ୍ତା ମରାମତି ହୋଇଥିଲା। ପିଚୁ ଉଠିଯାଇ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୂର୍ବ ବିଭାଗର ଦୃଷ୍ଟି ରାସ୍ତା ଉପରେ ପଡୁ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ରାସ୍ତା ଉପରେ ପ୍ରବଳ ଗୋଡ଼ି ପଡିଥିବାରୁ ଦୁର୍ଘଟଣା ଘଟୁଥିବା ଅଂଚଳବାସୀ କହିଛନ୍ତି। ତେବେ ୨୦୨୪-୨୫ଆର୍ଥିକ ବର୍ଷରେ ଏହି ରାସ୍ତା ପାଇଁ ଟେଣ୍ଡର ହୋଇଥିଲା। ସେ ସମୟରେ ଆରଏପିଏସ୍ ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ହାଇକୋର୍ଟର ଦ୍ବାରସ୍ଥ ହୋଇ ତାଙ୍କ ପକ୍ଷରେ ଟେଣ୍ଡର ଚୂଡ଼ାନ୍ତ କରିବାକୁ ଦାବି କରିଥିଲେ। ସେବେଠାରୁ, ମାମଲା ବିଚାରାଧୀନ ଅଛି ଏବଂ ଭାରୀ ଯାନବାହାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ଆହୁରି ପଢ଼ନ୍ତୁ: Odisha Tourism: ନବରଂଗପୁରରେ ଲାଖ ସାମଗ୍ରୀ କିଣିଲେ ଇଟାଲୀୟ ପର୍ଯ୍ୟଟକ ନବରଙ୍ଗପୁର ପୂର୍ତ୍ତବିଭାଗ ପକ୍ଷରୁ ଜୟପୁରରେ ଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପୂର୍ତ୍ତବିଭାଗକୁ ଏହି ରାସ୍ତାର ପୁନଃରୁଦ୍ଧାର ପାଇଁ ସ୍ଥାନୀୟ ଲୋକ ଏବଂ ଜନପ୍ରତିନିଧିମାନେ ନୂତନ ଟେଣ୍ଡର ଆହ୍ଵାନ କରି ମରାମତି କିମ୍ବା କାମ ହାତକୁ ନେବାକୁ ଦାବି କରୁଛନ୍ତି। ଯେହେତୁ ଏହା ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା ଅଧୀନରେ ଥିବା ଏବଂ ରାସ୍ତାକୁ ବାଧାମୁକ୍ତ ଯାତାୟାତ ପାଇଁ ଆବଶ୍ୟକୀୟ ଅନୁମତି ବି ମାଗିଛନ୍ତି। ଏଥି ପାଇ ୨.୬୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତାର ୩ମିଟର ପ୍ରଶସ୍ତ କରାଯିବାକୁ ବି ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବକୁ ବି ବିଧାୟକ ବିଧାନସଭାରେ ଉପସ୍ଥାପନ କରିଥିଲେ। ତେବେ ରାଜ୍ୟସରକାର ଅନୁମତି ଦେବେ ନାଁ ନାହିଁ ସମୟ କହିବ। ଏବେ ଏହି ଅଂଚଳର ହଜାରହଜାର ଲୋକେ ହଇରାଣ ହରକତ ହେଉଛନ୍ତି। ଛୋଟବଡ ଦୁର୍ଘଟଣା ହୋଇ ଧନଜୀବନ ଯିବା ସହ ଖଣ୍ଡିଆ ଖାବରା ଓଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। କେତେ ଜୀବନ ଗଲେ ଓ କେତେ ଜଣ ଗୁରୁତର ହେଲେ ଏହି ରାସ୍ତା ନିର୍ମାଣ ହେବ ଦେଖିବାକୁ ବାକି ରହିଛି।


0 Comments