ସହିଦ୍ ଭଗତ୍ ସିଂ ସ୍ନାତକ ମହାବିଦ୍ୟାଳୟ ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ପାଠଚକ୍ର


ଖଣ୍ଡଦେଉଳି, ୩୦/୦୩/୨୦୨୬ ( ଲୋକପ୍ରଭା ନ୍ୟୁଜ୍ 7 ): କଥାସମ୍ରାଟ ଫକୀରମୋହନ ସେନାପତି ଭାରତୀୟ କଥା ସାହିତ୍ୟର ଜଣେ ଧାରା ପ୍ରବର୍ତ୍ତକ ଅଦ୍ଵିତୀୟ କଥାସର୍ଜକ l ଆଧୁନିକ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ସର୍ଜନାର ଉଷାକାଳରେ ତାଙ୍କ ପ୍ରତିଭାଦୀପ୍ତ ସାରସ୍ୱତ ବ୍ୟକ୍ତିତ୍ୱ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାର କଥା ସାହିତ୍ୟକୁ ବହୁ ଭାବରେ ପ୍ରେରିତ ଓ ପ୍ରଭାବିତ କରିଥିଲା l ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସର ଆଦିସ୍ରଷ୍ଟା ରୂପେ ଫକୀରମୋହନ କେବଳ ବିଦିତ ନୁହନ୍ତି ; ବରଂ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ, ରାଜନୀତିକ, ଆର୍ଥନୀତିକ, ସାଂସ୍କୃତିକ ଓ ଧର୍ମୀୟ ଵିଧି ବ୍ୟବସ୍ଥାର କଥକତା ସାଙ୍ଗକୁ ନିଚ୍ଛକ କଳାତ୍ମକ ଅଭିବ୍ୟକ୍ତି ଓଡ଼ିଆ କଥା ସାହିତ୍ୟକୁ ଶିଖରସ୍ପର୍ଶୀ କରିଥିଲା ବୋଲି ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. କୁଳମଣି ଓଝା ମତବ୍ୟକ୍ତ କରିଛନ୍ତି l

        ଖଣ୍ଡଦେଉଳି ସ୍ଥିତ ସହିଦ୍ ଭଗତ୍ ସିଂ ସ୍ନାତକ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆଜି ପୂର୍ବାହ୍ଣରେ 'ଫକୀରମୋହନ ସେନାପତିଙ୍କ ଗଳ୍ପରେ ସାମାଜିକ ତତ୍ତ୍ୱ' ଶୀର୍ଷକ ଏକ ପାଠଚକ୍ର ଉଦ୍ଘାଟିତ ହୋଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ମିନତି ପଟ୍ଟନାୟକ ଏହି ପାଠଚକ୍ରରେ ପୌରୋହିତ୍ୟ କରିବା ସଂଗେ ସଂଗେ ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନା କ୍ଷେତ୍ରରେ ଫକୀରମୋହନଙ୍କ ଅବଦାନ ଓ ତାଙ୍କ କୃତିତ୍ୱର ମୂଲ୍ୟାୟନ କରିଥିଲେ l ଉକ୍ତ ପାଠଚକ୍ରରେ ଡ. ଓଝା ମୁଖ୍ୟଅତିଥି ରୂପେ ଯୋଗଦେଇ କ୍ଷୁଦ୍ରଗଳ୍ପର ବୈଶ୍ଵିକ ପ୍ରେକ୍ଷାପଟ, ଭାରତୀୟ ସାହିତ୍ୟର ଗଳ୍ପ ସର୍ଜନା ପରମ୍ପରା ଓ ଓଡ଼ିଆ କ୍ଷୁଦ୍ରଗଳ୍ପର ପ୍ରଥମ ପର୍ଯ୍ୟାୟ କଥାଧାରା ସଂପର୍କରେ ଆଲୋଚନା କରିବା ସଂଗେ ସଂଗେ ଫକୀରମୋହନଙ୍କ ସର୍ଜିତ ୨0ଟି ଯାକ ଗଳ୍ପର ପୃଷ୍ଠଭୂମି, ସାମାଜିକ ଆବେଦନ ଓ ଭାଷାଶୈଳୀ ସମ୍ବନ୍ଧରେ ସବିଶେଷ ଚର୍ଚ୍ଚା କରିଥିଲେ l

      ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଫକୀରମୋହନ ସେନାପତିଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡ଼ିକର ପୃଷ୍ଠପୀଠିକା, ସମାଜ ସଂସ୍କାର ଦୃଷ୍ଟିଭଙ୍ଗୀ ବିଷୟ ଉଲ୍ଲେଖ ପୂର୍ବକ ରେବତୀ ଗଳ୍ପର ଅନ୍ତଃସ୍ୱର ଏବଂ ନାରୀଶିକ୍ଷାର ଭିତ୍ତି ସ୍ଥାପନରେ ଫକୀରମୋହନଙ୍କ ସନ୍ଦେହାଚ୍ଛନ୍ନ ଭୂମିକା ସଂପର୍କରେ ବ୍ୟାଖ୍ୟା କରିଥିଲେ l ବିଭାଗୀୟ ଅଧ୍ୟାପକ ବାବୁଲାଲ ଗୌଡ଼ ଫକୀରମୋହନଙ୍କ ବିରଚିତ 'ରେବତୀ' ଓ 'ଡାକମୁନସି' ଗଳ୍ପ ସଂପର୍କରେ ଆଲୋଚନା କରିଥିବା ବେଳେ +୩ କଳା ଓଡ଼ିଆ ସମ୍ମାନର ଦୁଇ ଜଣ ବିଦ୍ୟାର୍ଥୀ ପ୍ରବନ୍ଧପାଠ କରିଥିଲେ l

     ଓଡ଼ିଆ ବିଭାଗ ମୁଖ୍ୟ ଡ. ଜୟନ୍ତୀ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଓଡ଼ିଆ ଅଧ୍ୟାପିକା ଏନ୍. ପଦ୍ମାବତୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ପାଠଚକ୍ର ପରିଚାଳନାରେ ଇତିହାସ ବିଭାଗ ଅଧ୍ୟାପକ ଦେବୀପ୍ରସାଦ ପଟ୍ଟନାୟକ, ଅଧ୍ୟାପକ ଆନନ୍ଦ ଗୌଡ଼, ଅଧ୍ୟାପିକା ସୁନୀତା ମହାରଣା, ରାଜନୀତି ବିଜ୍ଞାନ ଅଧ୍ୟାପକ ଆଖଣ୍ଡଳମଣି ବେହେରା, ଇଂରାଜୀ ଅଧ୍ୟାପକ ରାକେଶ ଛୋଟରାୟ, ଶିକ୍ଷା ବିଭାଗ ଅଧ୍ୟାପକ ବସନ୍ତ କୁମାର ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ l ଭୂତତ୍ତ୍ୱ ଅଧ୍ୟାପିକା ମିନତି ରଥ ଓ ଇଂରାଜୀ ଅଧ୍ୟାପିକା ନିବୃତ୍ତି ରାଉତ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ପାଠଚକ୍ରରେ ଓଡ଼ିଆ, ଇଂରାଜୀ ବିଭାଗ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ l

Post a Comment

0 Comments