
କୌଣସି ଅପରାଧିକ କାର୍ଯ୍ୟ ନିମନ୍ତେ ଦେଶରେ ଅପରାଧିକ ଆଇନ ବଳରେ କୋର୍ଟଙ୍କ ବିଚାରପରେ ଦଣ୍ଡବିଧାନ କରାଯାଇଥାଏ। କିନ୍ତୁ ଆଇନ, ପୁଲିସ, କୋର୍ଟର ସୀମାକୁ ଉଲ୍ଲଂଘନ କରି, ସମସ୍ତ ମାନବିକତାକୁ ପାଦରେ ଦଳି ଦେବା ଭଳି ଘଟଣା କେନ୍ଦୁଝରଜିଲ୍ଲା ଆନନ୍ଦପୁର ଥାନା କାଠକଟା ପଞ୍ଚାୟତ ପୁରୁଣାଘାଟିରେ ଘଟିଛି। ସାମାନ୍ୟ ଷ୍ଟିଲ ରଡ଼ ଚୋରି କରିଥିବାରୁ ଜଣେ ଯୁବକଙ୍କୁ ଦଣ୍ଡ ସ୍ୱରୂପ ଗତ ଚାରିମାସ ହେଲା ଗୋଡ଼ରେ ହାତରେ ବେଡି ପକାଇ ନିର୍ଯାତନା ଦିଆଯାଇଛି l ଖବର ପାଇ ପୁଲିସ ଆଜି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି l ଅଭିଯୋଗ ଅନୁସାରେ, ୪ ମାସ ପୂର୍ବେ ପୁରୁଣାଘାଟି ଗ୍ରାମର ହରିହର ପ୍ରଧାନଙ୍କ ପୁଅ କ୍ଷୀରୋଦ(୩୫) ପଡ଼ୋଶୀ ଶିବ ରାଜଙ୍କ ଘରୁ କିଛି ଲୁହାଛଡ଼ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଶିବ, ତାଙ୍କ ଭାଇ ଅନିଳ ଏବଂ କ୍ଷୀରୋଦଙ୍କ ଭାଇ ମନୋଜ କ୍ଷୀରୋଦଙ୍କୁ ଧରି ଏକ କୋଠରିରେ ହାତ ଓଗୋଡ଼ରେ ବେଡ଼ି ପକାଇ ରଖିଥିଲେ। ତାଙ୍କୁ ନିୟମିତ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା, ଏପରିକି ୪ ଦିନକୁ ଥରେ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହୋଇଛି। କ୍ଷୀରୋଦଙ୍କୁ ଏଭଳି ଦଣ୍ଡ ଦିଆଯାଉଥିବା ଜାଣି କେହି ସହୃଦୟବ୍ୟକ୍ତି ପୁଲିସକୁ ସୂଚିତ କରିଥିଲେ। ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷୀରୋଦଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସିତ କରିବା ପରେ ଘରେ ଛାଡ଼ିଛି। ତେବେ ଏନେଇ କ୍ଷୀରୋଦ କିମ୍ବା କ୍ଷୀରୋଦଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ, ଏଣୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
0 Comments