*ବ୍ରହ୍ମପୁର:*( ଲୋକପ୍ରଭା ନ୍ୟୁଜ ୭)ପବିତ୍ର ବାହୁଡା ଯାତ୍ରା ଅବସରରେ କୃଷ୍ଣ ବିକାଶ ଟେକ୍ନୋ ସ୍କୁଲରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ *ଶ୍ରୀ ବିକାଶ କୁମାର ଷଡ଼ଙ୍ଗୀ* ଙ୍କ ଉପସ୍ଥିତିରେ ଭଗବାନ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା କରାଯିବା ସହ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବିଦ୍ୟାଳୟ ପରିସର ‘ଜୟ ଜଗନ୍ନାଥ’ ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଛାତ୍ରଛାତ୍ରୀମାନେ ପାରମ୍ପରିକ ବେଶଭୂଷାରେ ଯୋଗଦେଇ ରଥ ଟାଣିବା ସହ ଭଜନ, କୀର୍ତ୍ତନ ଓ ଭକ୍ତିଗୀତ ପରିବେଷଣ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକମାନେ ମଧ୍ୟ ଏହି ଆଧ୍ୟାତ୍ମିକ ଉତ୍ସବରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।
ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବିକାଶ କୁମାର ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ସମାନତା, ମାନବିକତା, ସହନଶୀଳତା ଓ ବିଶ୍ୱବନ୍ଧୁତ୍ୱର ପ୍ରତୀକ। ଏଭଳି ପର୍ବପର୍ବାଣୀ ମାଧ୍ୟମରେ ଶିଶୁମାନଙ୍କ ମନରେ ଭାରତୀୟ ପରମ୍ପରା, ନୈତିକ ମୂଲ୍ୟବୋଧ, ସଂସ୍କୃତି ପ୍ରତି ଶ୍ରଦ୍ଧା ଓ ସାମାଜିକ ସଦ୍ଭାବର ବିକାଶ ଘଟିଥାଏ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ଭକ୍ତି ଓ ଆନନ୍ଦମୟ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମର ସଫଳ ସମାପନ ଘଟିଥିଲା।





0 Comments