ୟୁଟ୍ୟୁବ୍ରୁ ମାଇକେଲ୍ ଜାକ୍ସନ୍ଙ୍କ ନୃତ୍ୟ ଦେଖି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ସୁମିତ୍ ବାରିକ୍ ନୃତ୍ୟକୁ ଆପଣେଇଛନ୍ତି। ତାଙ୍କ ବାପା ବିଷ୍ଣୁ ଚରଣ ବାରିକ୍ କୋଲ୍କାତାରେ ଚାକିରି କରୁଥିବା ହେତୁ ସୁମିତଙ୍କ ପିଲାଦିନ ସେଠାରେ କଟିଛି। ସେ ଜଣେ ‘ସେଲ୍ଫ୍ ଲର୍ଣ୍ଣର୍’। ମୋବାଇଲ୍ରେ ଭିଡିଓ ଦେଖି ନୃତ୍ୟକଳାକୁ ଆୟତ୍ତ କରିଛନ୍ତି। ପରେ ସ୍କୁଲ୍ ଓ କଲେଜ କାର୍ଯ୍ୟକ୍ରମରେ ଭାଗ ନେଇ ଆଗକୁ ବଢ଼ିଛନ୍ତି। ସୁମିତ୍ କହନ୍ତି, “ମୋର ଜଣେ ସାଙ୍ଗ ଏକ ବାଂଲା ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅଡିସନ୍ ପାଇଁ ଯାଇଥିଲା, ତା’ସହ ମୁଁ ବି ଯାଇଥିଲି ା ସେ ବାଧ୍ୟ କରିବାରୁ ମଁୁ ମଧ୍ୟ ଅଡିସନ୍ରେ ଭାଗନେଲି। ହେଲେ ସେ ଅଡିସନ୍ରୁ କଟିଗଲା, ମଁୁ ଦ୍ବିତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଇଥିଲି। ସେବେଠାରୁ ମୋ ନୃତ୍ୟ ପ୍ରତି ଆଗ୍ରହ ବଢ଼ିଲା” ‘‘ମୋବାଇଲ୍ ମୋ ଗୁରୁ ପାଲଟିଗଲା। ୟୁଟ୍ୟୁବ୍ରୁ ନୂତନ ଶୈଳୀର ନୃତ୍ୟ ଶିଖି ଅନେକ କାର୍ଯ୍ୟକ୍ରମରେ ଭାଗନେଲି। ୨୦୧୯ ମସିହାରେ ‘ଡ୍ୟାନ୍ସ ବାଂଲା ଡ୍ୟାନ୍ସ୍’ରେ ଭାଗ ନେଇ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲି। ୨୦୧୧ରେ ଜିଟିଭିରେ ପ୍ରସାରିତ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ସୋ’ରେ ଟପ୍ ୩୦ ରହିଥିଲି। ପୁଣି ସେହି ବର୍ଷ ସୋନି ଲାଇଭ୍ ଟିଭିର ‘ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ୍’ରେ ଭାଗ ନେଇ କ୍ବାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲି।’’ ଦର୍ଶକମାନେ ତାଙ୍କ ଆଧୁନିକ ନୃତ୍ୟକୁ ବେଶ୍ ପସନ୍ଦ କରୁଥିବାରୁ ସେ କାର୍ଯ୍ୟକ୍ରମ ପରିବେଷଣ ସହ ୨୦୧୭ ମସିହାରୁ ‘ଏସ୍ ଏଞ୍ଜେଲ୍ ଏକାଡେମି ଅଫ୍ ପର୍ଫର୍ମିଂ ଆର୍ଟସ୍’ ନାମକ ଅନୁଷ୍ଠାନ ଖୋଲି ନୃତ୍ୟ ଶିଖାଇବା ଆରମ୍ଭ କଲେ। ବର୍ତ୍ତମାନ ସେ କୋଲ୍କାତାର ଜଣେ ସ୍ବନାମଧନ୍ୟ ନୃତ୍ୟ ନିର୍ଦ୍ଦେଶକ। ସେ ଦୁଇଟି ବଙ୍ଗଳା ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ପୁଣି ସେ ବଙ୍ଗଳା ଗୀତ ଲେଖିବା ସହ ଗାଇଛନ୍ତି। ବର୍ତ୍ତମାନ ସୁମିତଙ୍କ ଅନୁଷ୍ଠାନରେ ୧୨୦ରୁ ଅଧିକ ପିଲା ନୃତ୍ୟ ଶିଖୁଛନ୍ତି। ଚଳିତ ବର୍ଷ ‘ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ୍’ରେ ତାଙ୍କ ଅନୁଷ୍ଠାନର ଏକ ୧୪ ଜଣିଆ ଦଳ ‘ଆମେଜିଙ୍ଗ୍ ଅପ୍ସରା’ ଭାଗ ନେଇଥିଲା ଏବଂ ନୃତ୍ୟରେ ବିଚାରକଙ୍କ ମନ ଜିଣିଥିଲା। ସେମାନେ ଏହି ସୋ’ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଇ ବିଜେତା ହୋଇଥିଲେ। ସୁମିତ୍ ଭବିଷ୍ୟତରେ ଫିଲ୍ମ ନିର୍ଦ୍ଦେଶନା ଦେବାର ଅଭିଳାଷ ରଖିଛନ୍ତି।


0 Comments