ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ


ବ୍ରହ୍ମପୁର, ୧୭/୦୪ (ଲୋକପ୍ରଭା ନ୍ୟୁଜ 7) : ବାଣିଜ୍ୟ ପାଠ ଏକ ବୈଶ୍ଵିକ ଶିକ୍ଷା l କୌଣସି ଏକ ରାଷ୍ଟ୍ରର ବିତ୍ତୀୟ ବିକାଶରେ ବାଣିଜ୍ୟ ଶିକ୍ଷା ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ l ପଣ୍ୟ ଉତ୍ପାଦନ, ରପ୍ତାନି ଓ ଆମଦାନୀ କ୍ଷେତ୍ରରେ ଏହି ପାଠର ଉପଯୋଗିତା ଅପରିହାର୍ଯ୍ୟ l ବୈଶ୍ଵିକ ସ୍ତରରେ ବାଣିଜ୍ୟଶିକ୍ଷାର ଯେହେତୁ ସାର୍ବକାଳିକ ନିୟୋଜନୀୟତା (ଏମ୍ପ୍ଲୟବିଲିଟି) ରହି ଆସିଛି ; ସେହି ପ୍ରେକ୍ଷାପଟରେ ବାଣିଜ୍ୟ ବିଷୟରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଶ୍ୱ ବ୍ୟାପୀ ବିବିଧ କର୍ମନିଯୁକ୍ତିର ସ୍ୱର୍ଣ୍ଣିମ ଅବକାଶ ରହିଛି ବୋଲି ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏକ ସମାରୋହରେ ଆମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ l

      ଆଜି ପୂର୍ବାହ୍ଣରେ ମହାବିଦ୍ୟାଳୟ ପରିସରସ୍ଥ ମୁକ୍ତମଞ୍ଚରେ ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସମାରୋହରେ  ବିଭାଗୀୟ ମୁଖ୍ୟ କମଳାକାନ୍ତ ନାୟକ ସଭାପତିତ୍ବ କରିବା ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଏହି ସମାରୋହରେ ଅଧ୍ୟକ୍ଷ ଡକ୍ଟର୍ ଦେବରାଜ ସ୍ୱାଇଁ ମୁଖ୍ୟଅତିଥି, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡକ୍ଟର୍ କୁଳମଣି ଓଝା ମୁଖ୍ୟବକ୍ତା, ସ୍ନାତକୋତ୍ତର ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର୍ ଆନନ୍ଦ ସେଠୀ ଓ ହିନ୍ଦୀ ବିଭାଗ ମୁଖ୍ୟ ଗଙ୍ଗାଧର ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପର୍ଯ୍ୟୁକ୍ତ ମର୍ମରେ ବକ୍ତବ୍ୟ ପ୍ରଦାନ କରିଥିଲେ l

     ପ୍ରାରମ୍ଭରେ ଏକ ବର୍ଣ୍ଣାଢ୍ୟ ବାତାବରଣ ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଚତୁର୍ଦ୍ଧା ମୂରତିଙ୍କ ବିଗ୍ରହ ସମ୍ମୁଖରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l ବାଣିଜ୍ୟ ବିଭାଗ ସହକାରୀ ପ୍ରଫେସର୍ ଡ. ମଧୁମିତା ନାୟକ, ସହକାରୀ ପ୍ରଫେସର୍ ଶଙ୍କର ପ୍ରସାଦ ମହାପାତ୍ର, ଡ. କାଳିପଦ ମୁଣ୍ଡା, ଅତିଥି ଅଧ୍ୟାପକ କିରଣମୟ ଦେବ ଓ ଅତିଥି ଅଧ୍ୟାପିକା ସୋନାଲି ସାହୁ ପ୍ରମୁଖ ବାଣିଜ୍ୟ ବିଭାଗର ବିଦାୟୀ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ ପୂର୍ବକ ବୃତ୍ତି ଚୟନରେ ବାଣିଜ୍ୟ ଶିକ୍ଷାର ଉପଯୋଗିତା ବିଷୟରେ ନାନା ପରାମର୍ଶ ପ୍ରଦାନ କରିଥିଲେ l ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ର ଆକାଶ ପ୍ରଧାନ, ଓ ମୀରା ପାତ୍ର ସମାରୋହର ସଂଯୋଜନା କରିଥିଲେ l ଶିବାନୀ ମହାପାତ୍ରଙ୍କ ସମେତ ବିଦାୟୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନାର ଉତ୍ତର ଦେବା ସହ ମହାବିଦ୍ୟାଳୟ ସ୍ମୃତିଚାରଣ କରିଥିଲେ l ସଭାକାର୍ଯ୍ୟ ସରିବା ପରେ ଅଧ୍ୟାପକ କିରଣମୟ ଦେବ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନୃତ୍ୟ-ସଂଗୀତର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l

Post a Comment

0 Comments