ରେଶମ ସହର ମହୋତ୍ସବ, ସୁଭଦ୍ରା ଶକ୍ତି ଓ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳାର ଚତୁର୍ଥ ଦିବସ


ବ୍ରହ୍ମପୁର, ତା ୦୯.୦୪ .୨୬ - ରେଶମ ସହର ମହୋତ୍ସବ ତାସହିତ ସୁଭଦ୍ରା ଶକ୍ତି ଓ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳାର ଚତୁର୍ଥ ଦିନର ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ , ଅଣୁ,କ୍ଷୁଦ୍ର ଓ ମଧ୍ୟମ  ଉଦ୍ୟୋଗ  ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରଥିଲେ l ପରମ୍ପରା ଓ ପ୍ରଗତିର ପ୍ରାଣବନ୍ତ ପ୍ରତିଛବି ହେଉଛି ରେଶମ ମହୋତ୍ସବ । ଏଠି କଳା, ସାହିତ୍ୟ , ସଂସ୍କୃତି , ଜୀବନ ଓ ଜୀବିକା ଏକାକାର ହୋଇଛି   ।  ଗଞ୍ଜାମ କଳା ପରିଷଦ ଦେଶର ସବୁଠାରୁ ପୁରାତନ ରଙ୍ଗମଞ୍ଚ ।  ବ୍ରହ୍ମପୁର ସହରର କୃତି କୀର୍ତ୍ତି , ଇତିହାସ , ଖାଦ୍ୟ  ସର୍ବଜନବିଦିତ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ ।  ଯୁବକ ଯୁବତୀ ଓ ମାତୃଶକ୍ତିଙ୍କୁ ସ୍ୱାବଲମ୍ବୀ  କରିବା ପାଇଁ ସରକାର ସଂକଳ୍ପବଦ୍ଧ ।  ସୁଭଦ୍ରା ଯୋଜନା ଆଜି ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ଶୀଳ କରିପାରିଛି । ଅଣୁ,କ୍ଷୁଦ୍ର ଓ ମଧ୍ୟମ  ଉଦ୍ୟୋଗ ହେଉଛି ରାଜ୍ୟ ତଥା ଦେଶର ମେରୁଦଣ୍ଡ ।  ଏଗୁଡିକ ସଶକ୍ତ ହେଲେ ରାଜ୍ୟ ତଥା ଦେଶ ସଶକ୍ତ ହେବ  ।  ଏହାକୁ ହୃଦୟଙ୍ଗମ କରି କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଅଭିନବ ଯୋଜନା ନେଇଆସିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।  ଗଞ୍ଜାମ ଜିଲ୍ଲା ଅଣ୍ଡା ଉତ୍ପାଦନରେ ରାଜ୍ୟରେ ପ୍ରଥମ l ଅଣ୍ଡା  ସହିତ ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନରେ ମଧ୍ୟ ଗଞ୍ଜାମ ଆତ୍ମ ନିର୍ଭର ହୋଇପାରିଛି  l  ବ୍ରହ୍ମପୁର ସହର ପାଖରେ ୫୦ କୋଟି ଟଙ୍କା  ବ୍ୟୟରେ  ଏକ ଫୁଡ ପ୍ରୋସେସିଂ ପାର୍କ ଓ ପାଖାପାଖି ୫୦୦କୋଟି ଟଙ୍କା ବ୍ୟୟରେ ଗୋପାଳପୁର ଠାରେ ସ୍ମାର୍ଟ ହାର୍ବର ନିର୍ମାଣ କରିବା ପାଇଁ ସରକାର ପରିକଳ୍ପନା କରିସାରିଛନ୍ତି ଯାହାଦ୍ୱାରା ହଜାର ହଜାର ସ୍ଥାନୀୟ ଯୁବକଯୁବତୀ ନିଯୁକ୍ତି ପାଇପାରିବେ  ବୋଲି ସେ ସୂଚନା ଦେଇଥିଲେ l ଏମ୍ କେ ସି ଜି ମେଡ଼ିକାଲର  ଉନ୍ନତିକରଣ ପାଇଁ ପାଖାପାଖି ୧୯୮୦ କୋଟି ସରକାର ପ୍ରାବଧାନ କରିଛନ୍ତି   l ମୁଖ୍ୟମନ୍ତ୍ରୀ ରେଶମ ଯୋଜନା , ପିଏମ ବିଶ୍ୱକର୍ମା ଯୋଜନା ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ  l ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର,  ଜିଲ୍ଲାପାଳ ୱି କୀର୍ତ୍ତି ୱାସନ,ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଆକବରମ ସସ୍ୟା ରେଡ୍ଡୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ସ୍ୱଦେଶୀ ଜାଗରଣ ମଞ୍ଚ ଜିଲ୍ଲା ଯୁଗ୍ମ ସମନ୍ଵୟକ ଶ୍ରୀ ବିଜୟ କୁମାର ପ୍ରଧାନ ଯୋଗ ଦେଇ ଥିଲେ l ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦ଜଣ ଉଦ୍ୟୋଗୀଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା  ଦିଆଯାଇଥିଲା l  ଜିଲ୍ଲାପାଳ ଶ୍ରୀ ୱାସନ ସ୍ୱାଗତଭାଷଣ ପ୍ରଦାନ କରିଥିଲା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ସଙ୍ଗୀତମୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଥିଲା ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଏବଂ ସହଯୋଗୀଙ୍କ ସୁମଧୁର ସଂଗୀତ । ଏହା ସହିତ ସ୍ଥାନୀୟ ସରକାରୀ ୟୁ ଜି ହାଇସ୍କୁଲ , ବିରିବାଟିଆର ଲାଇଭ ଭୋକାଲ ,ରିୟଲ ଡାନ୍ସ ଷ୍ଟୁଡିଓର ବଲିଉଡ୍ ଷ୍ଟାଇଲ,ସାଇ ଶ୍ରୀ ନୃତ୍ୟାୟନ ଛତ୍ରପୁରର ରାଜସ୍ଥାନୀ ,ଗଞ୍ଜାମ ଫୋକ ଡାନ୍ସ ସେଣ୍ଟର୍ ନରେନ୍ଦ୍ରପୁରର ରଣପା ନୃତ୍ୟ ,ବ୍ରହ୍ମପୁରର କଳାଞ୍ଚଳୀ ଆର୍ଟିଷ୍ଟଙ୍କ ଦ୍ଵାରା ଆଧୁନିକ ନୃତ୍ୟ, ଛତ୍ରପୁର ପ୍ରଗତିକଳା କେନ୍ଦ୍ରର ନବଦୁର୍ଗା ନୃତ୍ୟ ଏବଂ ଭବାନୀପାଟଣା ରୁ ଆସିଥିବା ଶୁଭମ ଗ୍ରୁପର ବଜାସାଲ ନୃତ୍ୟ  ଦର୍ଶକ ମନଭରି ଉପଭୋଗ କରିଥିଲେ  ।


ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବ୍ରହ୍ମପୁର

Post a Comment

0 Comments