ଅଗ୍ନି ନିରାପତ୍ତା ଓ ସଚେତନତା ପାଇଁ ଛାତ୍ରଛାତ୍ରୀଙ୍କ ଅଗ୍ନିଶମ କେନ୍ଦ୍ର ପରିଦର୍ଶନ ।

 

 ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୁଜ଼ )କ୍ରିଷ୍ଣା ବିକାଶ ଟେକ୍ନୋ ସ୍କୁଲ, ବ୍ରହ୍ମପୁରର ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆଜି ଶିକ୍ଷାକ୍ରମର ଏକ ଅଂଶ ଭାବେ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଶିକ୍ଷଣୀୟ ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଗ୍ନି ନିରାପତ୍ତା, ଅଗ୍ନିକାଣ୍ଡ ସମୟରେ ସତର୍କତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ଏହି ଅବସରରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିର୍ବାପଣରେ ବ୍ୟବହୃତ ବିଭିନ୍ନ ଉପକରଣ, ଅଗ୍ନିଶମ ଯାନ, ହୋସ୍ ପାଇପ୍, ଅଗ୍ନି ନିର୍ବାପକ ଯନ୍ତ୍ର ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀର ବ୍ୟବହାର ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିଥିଲେ। ଅଗ୍ନିକାଣ୍ଡ ଘଟିଲେ କିପରି ତୁରନ୍ତ ପଦକ୍ଷେପ ନେବା, ଜରୁରୀ ସେବାକୁ ସୂଚନା ଦେବା ଏବଂ ନିରାପଦ ଭାବେ ଘଟଣାସ୍ଥଳରୁ ବାହାରିବା ଆଦି ବିଷୟରେ ମଧ୍ୟ ଛାତ୍ରଛାତ୍ରୀମାନେ ଜାଣିବାର ସୁଯୋଗ ପାଇଥିଲେ।

ପାଠ୍ୟପୁସ୍ତକର ଜ୍ଞାନକୁ ବାସ୍ତବ ଜୀବନ ସହ ଯୋଡ଼ିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା ବୃଦ୍ଧି କରିବା ଦିଗରେ ଏହି ପରିଦର୍ଶନ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ଅନୁଭୂତି ହୋଇଥିଲା। ଛାତ୍ରଛାତ୍ରୀମାନେ ଅଗ୍ନିଶମ କର୍ମଚାରୀଙ୍କ ସାହସ, ଦାୟିତ୍ୱବୋଧ ଓ ସେବାଭାବ ସମ୍ପର୍କରେ ମଧ୍ୟ ପ୍ରେରଣା ପାଇଥିଲେ।



Post a Comment

0 Comments