ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ବିଦାୟ ସମ୍ବର୍ଦ୍ଧନା ସମାରୋହ


ବ୍ରହ୍ମପୁର, ୧୬l୦୪ : ସହର ଉପକଣ୍ଠ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ ତରଫରୁ ଆଜି ପୂର୍ବାହ୍ଣରେ ଏକ ବିଦାୟ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା l ଏହି ସମାରୋହରେ ରସାୟନ ବିଜ୍ଞାନ ସମ୍ମାନ ତୃତୀୟ ବର୍ଷ ଓ ସ୍ନାତକୋତ୍ତର ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ଉଚ୍ଛ୍ୱସିତ ମେଲାଣି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଏହି ଅବକାଶରେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଡକ୍ଟର୍ ଦେବରାଜ ସ୍ୱାଇଁ  ମୁଖ୍ୟଅତିଥି ରୂପେ ଯୋଗଦେଇ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରକାଶିତ 'ସେମିନାର୍ ବୁଲେଟିନ୍ : ୨0୨୫-୨୬' ଅନାବରଣ କରିବା ସଂଗେ ସଂଗେ ରସାୟନ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଆହରିତ ବିଦ୍ୟା ବିଶ୍ୱର ବହୁମୁଖୀ କର୍ମସଂସ୍ଥାନ କ୍ଷେତ୍ରରେ ଉପଯୋଗ ହୋଇପାରିବ ଏବଂ ବିଭାଗୀୟ ଛାତ୍ରଛାତ୍ରୀ ସେଥି ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ l ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ସମ୍ମାନିତ ଅତିଥି ରୂପେ ରସାୟନ ବିଜ୍ଞାନ ପାଠର ଉପଯୋଗିତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l
     ବିଭାଗୀୟ ମୁଖ୍ୟା ଡ. ବନଲତା ସାହୁ ସ୍ୱାଗତ ସମ୍ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ରସାୟନ ବିଜ୍ଞାନ ଛାତ୍ରଛାତ୍ରୀମାନେ ରୁଚି ଅନୁରୂପ ବୃତ୍ତି ଚୟନ ଓ କେଉଁ କେଉଁ କ୍ଷେତ୍ରରେ ନିୟୋଜନ ପୂର୍ବକ ନିଯୁକ୍ତିର ନିଶ୍ଚିତ ଅବକାଶ ପାଇପାରିବେ, ସେ ସଂପର୍କରେ ମାର୍ଗଦର୍ଶନ କରିଥିଲେ l ଅଧ୍ୟାପକ ରତ୍ନାକର ମିଶ୍ର, ଅଧ୍ୟାପକ ପାରାଉ ମାଝୀ, ଅତିଥି ଅଧ୍ୟାପିକା ରୋଜିସ୍ମିତା ପାତ୍ର, ଅତିଥି ଅଧ୍ୟାପକ ରଶ୍ମି ରଞ୍ଜନ ସାମଲ ଓ ଅତିଥି ଅଧ୍ୟାପିକା ସୁଶ୍ରୀ ମୈତ୍ରୀ ବରାଳ ପ୍ରମୁଖ ବିଦାୟୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ତଥା ଆଶୀର୍ବଚନ ଜଣାଇବା ସହ ବୈଜ୍ଞାନିକ ଉପଲବ୍ଧିକୁ ଭବିଷ୍ୟ ଜୀବନରେ ସଠିକ୍ ରୂପେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ l ଏହି ସମ୍ବର୍ଦ୍ଧନା ସମାରୋହ ପରିଚାଳନାରେ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ର ଶୁଭମ୍ କୁମାର ଗୌଡ଼, ତନ୍ମୟୀ ପ୍ରଧାନ ଓ ଅଭିଲିପ୍ସା ପାଣିଗ୍ରାହୀ ସକ୍ରିୟ ସହଯୋଗ କରିଥିଲେ l

Post a Comment

0 Comments