ବ୍ରହ୍ମପୁର, 0୧l0୪ : ବ୍ରହ୍ମପୁର ଦକ୍ଷିଣ-ପୂର୍ବ ରେଳପଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଆଜି ମଧ୍ୟାହ୍ନରେ ଏକ ହର୍ଷୋଲ୍ଲାସ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆମନ୍ତ୍ରିତ ଅତିଥିମାନେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l କୁନି କୁନି ଛାତ୍ରଛାତ୍ରୀ ସମବେତ କଣ୍ଠରେ ଓଡ଼ିଶାର ଜାତୀୟ ସଂଗୀତ 'ବନ୍ଦେ ଉତ୍କଳ ଜନନୀ' ଗାନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା କୁମାରୀ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ l ରଙ୍ଗେଇଲୁଣ୍ଡା ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ କୁସୁମ କୁମାରୀ ପାଢ଼ୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନେ ଜୀବନରେ ନମ୍ର, ବିନୟୀ ଓ ଶୃଙ୍ଖଳିତ ହେବା ସହ ମନଧ୍ୟାନ ପୂର୍ବକ ପାଠ ପଢ଼ିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ସ୍ଥାନୀୟ କର୍ପୋରେଟର୍ ତଥା ବରିଷ୍ଠ ଅଧିବକ୍ତା ସଂଜିତ୍ କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା ରୂପେ ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରି ଅଧ୍ୟୟନରେ ବ୍ରତୀ ହେଲେ ବିଦ୍ୟାର୍ଥୀଗଣ ଜୀବନରେ ସଫଳ ହେବେ ବୋଲି କହିଥିଲେ l ସମ୍ମାନିତ ଅତିଥି ରୂପେ ଏସ୍.ଏ.ଏଫ୍.ଟି. କମିଟି ଉପଦେଷ୍ଟା ବିଜୟ ଚନ୍ଦ୍ର ଗୌଡ଼, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଗୌରହରି ପ୍ରଧାନ, ଉତ୍କଳମଣି କ୍ଲଷ୍ଟର୍ ସି.ଆର୍.ସି.ସି. ଶ୍ରୀମତୀ ମଧୁସ୍ମିତା ଦେବୀ, ପୂର୍ବତନ ପରିଚାଳନା ସମିତି ସଭାପତି ପ୍ରତାପ ଚନ୍ଦ୍ର ଲିମା ଓ ପ୍ରାକ୍ତନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସାହୁ ପ୍ରମୁଖ ଉତ୍ତମ ଚରିତ୍ର ଗଠନ ସହ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ l ବିଜ୍ଞାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ସୂତାର ଉତ୍ସବର ସଂଯୋଜନା କରିଥିଲେ l ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଶାନ୍ତିଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ପୃଥକ୍ ପୃଥକ୍ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ l


0 Comments